ପନ୍ତ ଚମକରେ ଚେନ୍ନାଇ ଚିତ୍

ବିଶାଖାପାଟଣା: ଅଧିନାୟକ ଋଷଭ ପନ୍ତଙ୍କ ପ୍ରତୀକ୍ଷିତ ଅର୍ଦ୍ଧଶତକ ସହ ଶେଷ ଓଭରଗୁଡ଼ିକରେ ବୋଲର୍‌ ସଫଳତାର ସହ ଧୋନି ଧମାକାକୁ ପ୍ରତିହତ କରି ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍ସକୁ ୨୦ ରନ୍‌ରେ ହରାଇ ପଏଣ୍ଟ୍‌ ଖାତା ଖୋଲିଛି।

ରବିବାର ଦିଲ୍ଲୀ ୧୯୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଦେବା ପରେ ମାତ୍ର ୭ ରନ୍‌ରେ ଦୁଇ ଓପନର ଋତୁରାଜ ଗାଏକ୍ବାଡ୍ ଓ ରାଚିନ ରବୀନ୍ଦ୍ରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ତଥାପି ଅଜିଙ୍କ୍ୟ ରାହ‌ାଣେଙ୍କ ୪୫ ଓ ଡାରିଲ ମିଚେଲଙ୍କ ୩୪ ରନ୍ ବଳରେ ଲଢ଼ିଥିଲା। ଶେଷ ଆଡ଼କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୭*) ଧମାକାଦାର ପାଳି ଖେଳିଥିଲେ। ଏହା ସତ୍ତ୍ବେ ଚେନ୍ନାଇ ୧୭୧/୬ରେ ଅଟକି ତୃତୀୟ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଥିଲା। ଧୋନି ଓ ରବୀନ୍ଦ୍ର ଜା‌ଡ଼େଜା କ୍ରିଜ୍‌ରେ ଥିବାରୁ ଅଷ୍ଟାଦଶ ଓଭର ପର୍ଯ୍ୟନ୍ତ ଚେନ୍ନାଇ ପ୍ରଶଂସକ ଆଶା ରଖିଥିଲେ। ହେଲେ ଊନ୍ନବିଂଶ ଓଭରରେ ଦ୍ରୁତ ବୋଲର୍‌ ମୁକେଶ କୁମାର ମାତ୍ର ୫ ରନ୍ ଦେବା ପରେ ଦିଲ୍ଲୀର ବିଜୟ ପୂରା ପକ୍କା ହୋଇଯାଇଥିଲା। ଶେଷ ୬ ବଲ୍‌ରୁ ବିଜୟ ପାଇଁ ୪୧ ରନ୍‌ ଦରକାର ଥିଲା ବେଳେ ଅନରିକ୍ ନର୍ଖିୟାଙ୍କ ଏହି ଓଭରରୁ ଧୋନି ୨୦ ରନ୍ ଅମଳ କରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ ମଧ୍ୟ ଚେନ୍ନାଇ ପରାଜୟକୁ ‌ରୋକିପାରି ନଥିଲେ। ଦିଲ୍ଲୀ ବୋଲର୍‌ ଖଲିଲ୍‌ ଅହମ୍ମଦ (୨/୨୧) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ମର୍ମନ୍ତୁଦ କାର୍‌ ଦୁର୍ଘଟଣା ପାଇଁ ୧୫ ମାସ ପରେ କ୍ରିକେଟ୍‌କୁ ଫେରିଥିବା ପନ୍ତ ୩ ‌ଛକା ଓ ୪ ଚୌକା ସହାୟତାରେ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରି ପାଇବାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ମଥିସା ପଥିରଣାଙ୍କୁ ପଏଣ୍ଟ୍‌ ଅଞ୍ଚଳକୁ ଚୌକା ମାରି ୩୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ପରେ ପନ୍ତ ବ୍ୟାଟ୍ ଉଠାଇ ସାଥୀ ଖେଳାଳିଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସେତେବେଳେ ସେ ଯେ ପୂରା ଭାବବିହ୍ବଳ ଥିଲେ ତାହା ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହୋଇଯାଉଥିଲା। ତାଙ୍କର ଏହି ପ୍ରତୀକ୍ଷିତ ଅର୍ଦ୍ଧଶତକ ଲାଗି କିନ୍ତୁ ଦୁଇ ଓପନର ପୃଥ୍ବୀ ସ’ (୪୩) ଓ ଡେଭିଡ୍ ୱାର୍ଣ୍ଣର (୫୨) ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୯.୩ ଓଭରରୁ ୯୩ ରନ୍ ସଂଗ୍ରହ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରୁଥିବା ସ’ ଅର୍ଦ୍ଧଶତକ ପୂରଣ କରି ନପାରିବା ଅବଶ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା। ତେବେ ନିଜ ଆକ୍ରମଣାତ୍ମକ ବ୍ୟାଟିଂରେ ସମସ୍ତଙ୍କ ମନ ଜିତି ନେଇଥିଲେ ସେ। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ମାର୍ସ ମଧ୍ୟ ୧୨ ବଲ୍‌ରୁ ଦ୍ରୁତ ୧୮ ରନ୍ କରିଥିଲେ। ଫଳରେ ଦିଲ୍ଲୀ ୫ ୱିକେଟ୍ ବିନିମୟରେ ୧୯୧ ରନ୍‌ର ଆହ୍ବାନଭରା ସ୍କୋର କରି ନେଇଥିଲା।

Leave a Reply

Your email address will not be published. Required fields are marked *